ଶ୍ରାବଣ ବରଷା ଭିଜାଇଣ ଦିଏ
ସମଗ୍ର ଜଡ଼, ଜୀବନ,
ସତେ କି ତାହାର ସଞ୍ଜିବନୀ ମନ୍ତ୍ର
ଫୁଙ୍କି ଦେଇ ସର୍ବ କାନ,
ରିମଝିମ ସୁର ତୋଳି,
ଧରଣୀ ବୁକୁରେ ତୃଷାର୍ତ୍ତର ପ୍ରାଣ
ଆନନ୍ଦେ ପଡେ ଉଛୁଳି ।
ତାହାର ଶୀତଳ ଆଲିଙ୍ଗନେ ଧରେ
ଜୀବେ ତୃପତି ଲଭନ୍ତି,
ବୃକ୍ଷରତାମାନେ ସବୁଜିମାମୟ
ହୋଇ ପଲ୍ଲବୀ ଉଠନ୍ତି,
ସେ ଅପୂର୍ବ ଶୋଭା ତା'ର,
ନୟନରେ ଦୃଶ୍ୟେ ବିଭୋରିତ ପ୍ରାଣ
ହୋଇଉଠଇ ମଧୁର ।
ସବୁଜ ଓଢ଼ଣୀ ଟାଣି ଧରାରାଣୀ
ତା'ର ସବୁଜିମା କ୍ଷେତ୍ରେ,
କୃଷକ ମନକୁ ଆହ୍ଲାଦିତେ ଭରେ
ଦେଖଇ ଯେବେ ସେ ନେତ୍ରେ,
ପ୍ରାଣ ତା'ର ବିହ୍ବଳିତ,
ପରିଶ୍ରମ ତାର ସାର୍ଥକ ହେବକି
ଭାବୁଥାଏ ଅବିରତ ।
ବେଙ୍ଗ ବେଙ୍ଗୁଲୀଙ୍କ କେଁ କଟରରେ
ଫାଟିପଡେ ପରିବେଶ,
ଝିଙ୍କାରୀର ଝିଁ ଝିଁ ଶବଦରେ
ସ୍ପନ୍ଦିତ ମନ ଆକାଶ,
ନଦୀ, ନାଳ, ପୁଷ୍କରିଣୀ,
ଜଳ ଘେନି ତା'ର ଗରଭ ଫୁଲାଇ
ତୋଳଇ ମଧୁ ରାଗିଣୀ ।
ବିନୋଦିନୀ ଦାଶ
କୁରୁଆଁ, ମୁଗପାଳ, କବୀରପୁର, ଯାଜପୁର


0 Comments